ରଜରେ ପାନ ଏବଂ ପିଠାପଣା ଖାଇବାର ନିୟମ ରହିଛି କାହିଁକି ?

ରଜରେ ପାନ ଏବଂ ପିଠାପଣା ଖାଇବାର ନିୟମ ରହିଛି କାହିଁକି ?

ଭାରତୀୟ ପରମ୍ପରାରେ ପ୍ରତ୍ୟେକ ପୂଜାପର୍ବରେ ପାନ ଲୋଡାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ବିଡିଆ ପାନ ନଖାଇଲେ ଷାଠିଏ ପଉଟି ଭୋଗ ବି ତାଙ୍କୁ ଅରୁଚିକର ଲାଗେ । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏଡା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ସୁବାସିତ ପାନ ମନ କିଣିନେବା ଲାଗି ରଜର ଅନ୍ୟତମ ବିଶେଷତ୍ୱ ।

ପାନର ମହତ୍ତ୍ୱ

ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା | ପାନ ହେଉଛି ମୁଖବାସ, ପରିତୋଷ । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ'ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି | ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ'ଟି ଆନ୍ତରିକତା ଓ ନିବିଡ଼ତାର କଥା | ବନ୍ଧୁତାର ଡୋରିକୁ ସୁଦୃଢ କରିଥାଏ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି  ।

  1. ପାନର ବି ସ୍ୱାସ୍ଥ୍ୟ ଉପକାରିତା ରହିଛି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣିକାରକ ଏବଂ କୃମିନାଶକ | ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ(କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ |
  2. ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ | ରଜପାନରେ ଗୁଆ, ଅଳେଇଚ,ଗୁଜୁରାତି, ଭଜା ଧଣିଆ,ଶୁଖିଲା ଗୋଲାପ ପାଖୁଡା, ଚାଉଳ ଓ ନଡିଆ ଖଣ୍ତ, ଚେରି, ଲବଙ୍ଗ,କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର,ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ ।
  3. ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । 
  4. ଅବଶ୍ୟ କଡା ପାନ ଖାଉଥିବା ଲୋକ ସେଥିରେ ତମାଖୁ ଜାତୀୟ ଦ୍ରବ୍ୟ ମିଶାନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । 
  5. ପାନପତ୍ରର ହଜମକାରକ ଗୁଣ ଅଛି । ଏହା ଯେକୌଣସି ଗରିଷ୍ଠ ଖାଦ୍ୟକୁ ସହଜରେ ହଜମ କରାଇବାରେ ସହାୟକ ହୋଇଥାଏ । 
  6. ରଜପର୍ବ ଅବସରରେ ପୋଡପିଠା ଏବଂ ଅନ୍ୟାନ୍ୟ ଗରିଷ୍ଠ ଖାଦ୍ୟ ଖିଆଯାଉଥିବାରୁ ହଜମ ଲାଗି ପାନ ଏହି ପରମ୍ପରାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି କୁହାଯାଇପାରେ । 
  7. ପାନପତ୍ର ଶୀତଳ ପ୍ରକୃତିର ହୋଇଥିବାରୁ ମୁଣ୍ଡବ୍ୟଥା ଦୂର କରିପାରେ । 
  8. ମଧୁମେହ ରୋଗୀଙ୍କ କ୍ଷେତ୍ରରେ ଖାଦ୍ୟର ସ୍ୱାଦ ସମ୍ପୂର୍ଣ୍ଣ କରିବା ଲାଗି ପାନ ବେଶ୍‌ ଉପକାରୀ । 
  9. ପାନ ମଧ୍ୟ ମେଦବହୁଳତା ହ୍ରାସ କରିବାରେ ସହାୟକ । 
  10. ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ ତତ୍ତ୍ୱ ଥିବାରୁ ଏହା ମୁଖ ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ହୋଇଥାଏ । 
  11. ଖାଇବାକୁ ଚାହୁଁଥିଲେ ସ୍ୱାସ୍ଥ୍ୟକର ପାନ ଖାଆନ୍ତୁ    ।
  12. ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ ।
  13. ଢ଼ଗରେ ଅଛି-‘ପାନଖିଆ ରସିକ ପାଟି,ଖୋଜି ବୁଲୁଥିଲା ରାଜାଙ୍କ ହାତୀ, ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’ ।

ପିଠାପଣା

ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ । ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ ତେଣୁ ରଜ ପୂର୍ବଦିନ ପହିଲି ରଜରେ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ | ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଷାଠିଏ ପଉଟି ଭୋଗରେ ପୋଡପିଠା ରହିଥିବା ବେଳେ ରଥଯାତ୍ରା ସମୟରେ ମାଉସୀମା’ର ପୋଡପିଠା ନଖାଇ ମହାପ୍ରଭୁ ଦେଉଳକୁ ଫେରନ୍ତି ନାହିଁ। 

  1. ପୋଡ଼ ପିଠା ଦେହ ପାଇଁ ବେଶ୍‌ ପୁଷ୍ଟିକର । ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ |
  2. ଭାତ ବଦଳରେ ପାଚିଲା ଆମ୍ବ ,ପଣସ ,ଫଳମୂଳ ଓ ବିଭିନ୍ନ ପ୍ରକାର ପିଠାପଣା ଏକାଠି ଖାଇ ସମସ୍ତେ ମଜା କରିଥାନ୍ତି ।
  3. * ଚକୁଳି ପିଠା: ଏହା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ତକୁ ତାବାରେ ଭାଜି ତିଆରି କରାଯାଏ ।
  4. * ପୋଡ଼ ପିଠା: ଏହା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ଆଣକୁ କଦଳୀ ପତ୍ରରେ ବାନ୍ଧି ଚୁଲିରେ ରାତିସାରା ପୋଡ଼ି ପ୍ରସ୍ତୁତ କରାଯାଏ । ଏହି ପୋଡ଼ ପିଠାକୁ ରଜ ୩ ଦିନ ଖିଆଯାଏ ।

ଓଡ଼ିଆର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରିୟ ପାନ ଏବଂ ପୋଡପିଠା ଓଡ଼ିଶାର ଗଣପର୍ବ ରଜରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଜନଜାତି ସଂସ୍କୃତିରେ ସେମାନେ ବଣର ଫଳମୂଳ କୋଳି ଆଦି ଖାଉ ଥିବା ବେଳେ ଏବେ ପିଠା ଓ ମିଠା ଆଧୁନିକ ରଜର ମୁଖ୍ୟ ଖାଦ୍ୟ ପାଲଟିଛି ।

Post a Comment

0 Comments